nabin patnaik
ଓଡ଼ିଶା ରାଜନୀତି

ନବୀନଙ୍କୁ ଭରସିଲେ ପାଟକୁରାବାସୀ, ବିଜୟଙ୍କୁ ଭାଗ୍ୟ ସାଥ ଦେଲାନି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନକୁ ନେଇ ଗତ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡିକୁ ଏଠାରେ ମିଳିଛି ସଫଳତା । ବିଜୟୀ ହୋଇଛନ୍ତି ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ପୁଣି ଥରେ ପରାଜୟର ସ୍ୱାଦ ଚାଖିଛନ୍ତି ବରିଷ୍ଠ ରାଜନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଭାଗ୍ୟ ତାଙ୍କୁ ସାଥ୍ ଦେଇନି । ପାଟକୁରା ବିଧାନସଭା କ୍ଷେତ୍ରର ଭୋଟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ବିଜୟଙ୍କୁ ନିରାଶ ହେବାକୁ ପଡିଛି ।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଚଳଚଞ୍ଚଳ ରହିଥିଲା । ଏହି ଆସନ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର ପ୍ରୟାସ । ତିନିଦଳ ୪୦ଜଣ ଲେଖାଏଁ ୧୨୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ । ପାଟକୁରାର ବିଭିନ୍ନ ପଞ୍ଚାୟତରେ ଡେରା ପକାଇଥିଲେ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ମାରାଥନ ପ୍ରଚାର । ପାଟକୁରା ବିକାଶ କଥା ନିଜେ ବୁଝିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି । ଏହା ସୂଚାଇ ଦେଇଥିଲା ପାଟକୁରା ଆସନର ଗୁରୁତ୍ୱ । ବିଜେପି ବି ଦମ୍ ଦେଖାଇବାକୁ ଅଣ୍ଟା ଭିଡିଥିଲା । କିନ୍ତୁ ନେତାମାନଙ୍କ ପ୍ରଚାର ସେତଟା ପ୍ରଭାବୀ ହେଲାନି । ମନେହେଲା ପାଟକୁରାରେ ବିଜେପି ନୁହେଁ ବିଜୟ ନିଜ ବ୍ୟକ୍ତିତ୍ୱରେ ନିର୍ବାଚନ ଲଢୁଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟ ହେଲା ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅମାନତ ଉଡିଯାଇଛି। ତେବେ କଂଗ୍ରେସ ଭୋଟ୍ ଗଲା କୁଆଡେ ? ପୂର୍ବରୁ କଥା ଉଠିଥିଲା କଂଗ୍ରେସ ନେତାଙ୍କ କିଣାବିକା ସରିଲାଣି । ଏବେ ଲୋକେ କହୁଛନ୍ତି ଏହାର ସତ୍ୟତା ରହିଛି । ନଚେତ୍ ଯେଉଁ ଦଳ ୨୦୧୪ ନିର୍ବାଚନରେ ୪୦ ହଜାରରୁ ଅଧିକ ଭୋଟ ପାଇଥିଲା, ୨୦୧୯ରେ ସେହି ଦଳ ପ୍ରାର୍ଥୀଙ୍କ ଅମାନତ ଉଡିଗଲା ? ତେବେ ୪୦ଜଣ ଷ୍ଟାର ପ୍ରଚାରକ କାହାର ପ୍ରଚାର କରୁଥିଲେ ?
ପାଟକୁରା ଫଳାଫଳ ଘୋଷଣା ପରେ ଏଣିକି ଅନେକ କଥା ଉଠିବ । କିଏ କହିବ ଅର୍ଥ ଓ ବାହୁବଳର ବିଜୟ ହୋଇଛି । ଆଉ କାହାର ମତ ରହିବ କଂଗ୍ରେସ ଭୋଟ ବିକ୍ରି ହୋଇଯିବାରୁ ଆମେ ହାରିଲୁ । ପୂର୍ବାପେକ୍ଷା ଅଧିକ ଭୋଟ୍ ମିଳିଛି । ଏସବୁ ସଫେଇର ମୂଲ୍ୟ କିଛି ଥାଏକି ? ଅନ୍ୟକୁ ଦୋଷ ଦେଇ ନିଜର ଦୁର୍ବଳତା ଲୁଚାଇବା ଅନ୍ୟ କିଛି ନୁହେଁ । ହେଲେ ରାଜନୈତିକ ମହଲରେ ଆଲୋଚନା ହେଲାଣି ବିଜୟ ବିଜେପିରେ ବିବାଦୀୟ ଥିଲେ । ଗୋଟିଏ ଗୋଷ୍ଠୀ ତାଙ୍କ ବିଜୟ ଚାହୁଁନଥିଲା । ଏହାକୁ ବି ସଂପୂର୍ଣ୍ଣ ଏଡାଇ ଦେଇ ହେଊନି । ନିଆଁ ନଥିଲେ ଧୂଆଁ ବାହାରେ ନାହିଁ, ନ୍ୟାୟରେ ଚର୍ଚ୍ଚାକୁ ଗ୍ରହଣ କରିବାକୁ ପଡିବ । ବର୍ତ୍ତମାନ ଆଲୋଚନା ଚାଲିଛି ବିଜୟ କ’ଣ କରିବେ ? ଦଳ ତାଙ୍କ ଥଇଥାନ କଥା ବିଚାରକୁ ନେଇ ନା ଯେମିତି ଅଛନ୍ତି ସେମତି ଛାଡିଦେବ ।

ଅନ୍ୟପକ୍ଷରେ ପରାଜୟ ପରେ ପ୍ରତିକ୍ରିୟା ରଖି ବିଜୟ ମହାପାତ୍ର କହିଛନ୍ତି, ‘ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ଯ୍ୟ କରିଛି। ଜନମତ ଭିନ୍ନ ଥିଲା, କିନ୍ତୁ ଫଳାଫଳ ହେଲା ଭିନ୍ନ। ଏହାର କାରଣ ଅନୁଧ୍ୟାନ କରିବି। ଫଳ ଯାହା ବି ହେଉ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଜନମତକୁ ସମ୍ମାନ ଜଣାଇବାକୁ ହେବ।’ ଆଉ ଅଭିଯୋଗ କରିଛନ୍ତି ପାଟକୁରାକୁ ଘେରାବନ୍ଦୀ କରି ରଖାଗଲା।

ସୂଚନାଯୋଗ୍ୟ ବିଜୟ ମହାପାତ୍ର କେନ୍ଦ୍ରାପଡା ପାଟକୁରାରୁ ଲଗାତାର ୪ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ସେ ଥିଲେ ବିଧାୟକ। ୨୦୦୦ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ହଠାତ୍ ବିଜୟ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କୃତ କରାଗଲା । ୨୦୦୧ ମସିହାରେ ସେ ଗଣ ପରିଷଦ ଗଠନ କରି ୨୦୦୪ରେ କଂଗ୍ରେସ ସହ ମେଣ୍ଟ କରିଥିଲେ । ଓଜିପି ୨ଟି ଆସନ ପାଇଥିବ ବେଳେ ବିଜୟ ମହାପାତ୍ର ଅତି କମ ବ୍ୟବଧାନରେ ହାରିଯାଇଥିଲେ । ପରେ ଓଜିପିର ଏନସିପି ସହ ମିଶ୍ରଣ ହୋଇଥିଲା । ୨୦୦୯ରେ ଏନସିପି-ବିଜେଡି ମେଣ୍ କରିବାକୁ ଘୋଷଣା କରିବା ପରେ ଏହାକୁ ବିରୋଧ କରି ବିଜୟ ଦଳଛାଡି ବିଜେପିରେ ସାମିଲ ହୋଇଥିଲେ। ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ୨୦୧୮ ନଭେମ୍ବର ୩୦ରେ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ । ମାର୍ଚ୍ଚ ୨୮, ୨୦୧୯ରେପୁଣି ଫେରିଥିଲେ। ଆଶା ବାନ୍ଧିଥିଲେ ପାଟକୁରାବାସୀ ତାଙ୍କୁ ଏଥର ବିଧାନସଭାକୁ ପଠାଇବେ। କିନ୍ତୁ ସେମାନେ ବିଜୟଙ୍କୁ ଭରସା କରିପାରିଲେ ନାହିନ ନାହିଁ ।