ବ୍ରହ୍ମପୁର

ବିଦ୍ୟାଳୟରେ ଫୁଟିଲା ବୋମା ।

ବ୍ରହ୍ମପୁର :ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରା ଗାଁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ମାଗୁରା ଗାଁରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ଚାଲିଥିଲା । ସେଠାରେ ମଧ୍ୟାହ୍ନ ଭୋଜନ ଚାଲିଥିବା ବେଳେ ଜଣେ ଛାତ୍ର ତାବିଜ ଭଳି ଏକ ଜିନିଷ ପାଇଥିଲେ । ତାକୁ ବାହାରକୁ ଫୋପାଡ଼ି ଦେବା ବେଳେ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟିଥିଲା ବୋଲି କୁହାଯାଉଛି । ବିସ୍ଫୋରଣରେ ଦୁଇଜଣ ଛାତ୍ରଙ୍କ ମୁହଁ ଓ ହାତରେ ଆଘାତ ଲାଗି ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଗୁରୁତର ସପ୍ତମ ଶ୍ରେଣୀର ଛାତ୍ର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ଏହି ଦୁଇ ଗୁରୁତର ଛାତ୍ରଙ୍କୁ ପ୍ରଥମେ ଆସିକା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।