ଓଡ଼ିଶା

ବିଧାନସଭାରେ ଉଠିଲା ଖଦୀବୋର୍ଡ ଦୁର୍ନୀତି ଓ ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ପ୍ରସଙ୍ଗ

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧିଦଳର ସଦସ୍ୟମାନେ ଉଠାଇଥିଲେ ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ଓ ଖଦୀବୋର୍ଡ ଦୁର୍ନୀତି ପ୍ରସଙ୍ଗ। ମନ୍ତ୍ରୀଙ୍କ ଉତ୍ତର ଦାବିରେ ହୋହଲ୍ଲା କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଶନିବାର ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ କାହିଁକି ଗୃହରେ ଉସ୍ଥାପନ ହେଉନି ବୋଲି ପ୍ରଶ୍ନ  କରିଥିଲେ। ସେ କହିଲେ ଓଡିଶା ବିଶ୍ଵବିଦ୍ୟାଳୟ ଆକ୍ଟ ୧୯୮୯ ଅନୁସାରେ ସବୁ ବିଶ୍ବବିଦ୍ୟାଳୟ ଆକଉଣ୍ଟ ଅଡିଟ ହୋଇ ରିପୋର୍ଟ ଗୃହରେ ଉପସ୍ଥାପିତ ହେବା କଥା। କିନ୍ତୁ ୨୦ ବର୍ଷ ଧରି ବିଶ୍ବବିଦ୍ୟାଳୟ ଅଡିଟ୍‌ ରିର୍ପୋଟ ଉପସ୍ଥାପନ ହୋଇନାହିଁ । ବିଭାଗୀୟ ମନ୍ତ୍ରୀ ଗୃହରେ ଏନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନୁଧ୍ୟାନ କରିବି ବୋଲି କହିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଫଳରେ ଶୂନ୍ୟ ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ ବାଚସ୍ପତି। ଏପରି ଅଚଳା ଅବସ୍ଥା ଲାଗିରହିଥିବାରୁ ବାଧ୍ୟ ହୋଇ ସର୍ବଦଳୀୟ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା।

ସେହିଭଳି ଖଦିବୋର୍ଡର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ।  ସେ ଅଭିଯୋଗ କରିଥିଲେ ଯେ ୨୦୧୪ରୁ ୨୦୧୭ ମଧ୍ୟରେ ଖଦି ଜିନିଷ କଣା ବିକାରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ଠାରୁ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ୮୬ କୋଟି ଟଙ୍କା ଅନୁଦାନ ପାଇଛି। ହେଲେ ୩ କୋଟି ୧୮ ଲକ୍ଷ ଟଙ୍କା ଖଦୀ ଜିନିଷ ଉତ୍ପାଦନ ହୋଇଥିବା ବେଳେ ବାକି ଅର୍ଥକୁ କିଛି ବିଜ୍ଞାପନ ସଂସ୍ଥା ଏବଂ କନସଲଟାନସି କମ୍ପାନୀ ନିଜ ନାଁରେ ବିଲ କରି ଚଳୁ କରିଛନ୍ତି। ଏହାବ୍ୟତୀତ ପୋଷାକ କିଣାବିକା ଓ ମହୁ ଚାଷରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ । ଏସବୁ ଅଭିଯୋଗ ବାଚସ୍ପତିଙ୍କ ବିଚାରଧୀନ ଅଛି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ।