ନୂଆଦିଲ୍ଲୀ : ସରକାର ବଡ ଆର୍ଥିକ ନେଣଦେଣରେ ପ୍ୟାନ କାର୍ଡ ସ୍ଥାନରେ ଆଧାର କାର୍ଡର ବିକଳ୍ପ ଖୋଲା କରିଛନ୍ତି । କାରଣ ଆପଣ ଯଦି ବ୍ୟାଙ୍କର କୌଣସୀ କାରବାର ସମୟରେ ଭୁଲ ଆଧାର ନମ୍ବର ଦେଉଛନ୍ତି ତେବେ ଆପଣଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ଏହି ବାବଦରେ ଅଧିସୂଚନା ଜାରି ହେବା ପରେ ଏହାକୁ ସେପ୍ଟେମ୍ବର ୧ରୁ ୨୦୧୯ରୁ ଲାଗୁ କରାଯିବା ନେଇ ସମ୍ଭାବନା ରହିଛି ।
ବ୍ୟାଙ୍କ ଅଧିକାରୀଙ୍କ କହିବା ମୁତାବକ, ଯଦି ବ୍ୟାଙ୍କ କୌଣସୀ ନେଣଦେଣ ଦସ୍ତାବିଜରେ ଆଧାର ନମ୍ବର ସଠିକ ହେବ ନାହିଁ ତେବେ ଜରିମାନା ଭରିବାକୁ ପଡିବ । ତେବେ ଜରିମାନା ଦେବା ପୂର୍ବରୁ ଗ୍ରାହକଙ୍କ କଥା ଶୁଣାଯିବ । ଗତ ବଜେଟରେ ଆଧାର ସହ ଜଡିତ ନିୟମରେ ଏହି ବାବଦରେ ଆଲୋଚନା ହୋଇଛି । ଏପରିକି ବଡ ନେଣଦେଣରେ ପ୍ୟାନ ବଦଳରେ ଆଧାର ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ କୁହାଯାଇଛି । ଏଥିପାଇଁ ଧାରା ୨୭୨(ଖ)ରେ ସଂଶୋଧନ କରାଯିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ୧.୨ ଆରବରୁ ଅଧିକ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଛି । ଦେଶର ୨୨କୋଟି ଲୋକ ନିଜର ଆଧାର କାର୍ଡ ସହ ପ୍ୟାନ କାର୍ଡକୁ ଲିଙ୍କ କରିଛନ୍ତି । କରଦାତା ପ୍ୟାନ କାର୍ଡ ନଥିଲେ ଆଧାର କାର୍ଡରେ ଟାକ୍ସ ଦାଖଲ କରିପାରିବେ । ବ୍ୟାଙ୍କରେ ଖାତା ଖୋଲିବା, କ୍ରେଡିଟ୍ ବା ଡେବିଟ୍ କାର୍ଡ ପାଇଁ ଆବେଦନ କରିବା ତଥା ହୋଟେଲରେ ବିଲ ପଇଠ କରିବା ପାଇଁ ଆଧାର କାର୍ଡକୁ ବ୍ୟବହାର କରାଯାଇପାରିବ I