ଓଡ଼ିଶା

ମରୁଡ଼ି ପରିସ୍ଥିତି ନେଇ ଆସନ୍ତାକାଲି ଗୃହରେ ବିବୃତି ରଖିବେ ରାଜସ୍ୱ ମନ୍ତ୍ରୀ

 

 

 

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଅଭାବ ଜନିତ ଦେଖା ଦେଇଥିବା ମରୁଡ଼ି ପରିସ୍ଥିତିକୁ ଦେଇଥିବାରୁ ଏହାକୁନେଇ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ମରୁଡ଼ିର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ରାଜସ୍ୱ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେବାପାଇଁ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଗ୍ରହଣକରି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିବ୍ରୁତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ିର ପଦଧ୍ୱନି ଦେଖା ଦେଇଛି। ଗଜା ମରୁଡ଼ି ହେଲାଣି। ତଳିରୁଆ ହୋଇପାରିନାହିଁ। ଏବେ ପରିସ୍ଥିତିର ସାନି ଅନୁଧ୍ୟାନ କରି କେଉଁ ଜିଲ୍ଲାର ପରିସ୍ଥିତି କଣ ଏବଂ ସରକାରଙ୍କ ପକ୍ଷରୁ ମରୁଡ଼ିର ମୁକାବିଲା ପାଇଁ କି ପଦକ୍ଷେପ ନିଆଯାଇଛି ଗୃହରେ ଏକ ବିବୃତି ଦେବାକୁ ବାଚସ୍ପତି ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ବର୍ଷା ଅଭାବରୁ ସାରା ରାଜ୍ୟରେ ଜଳସଙ୍କଟ ଦେଖା ଦେଇଛି। ହୀରାକୁଦ ଜଳ ଭଣ୍ଡାରରେ ଜଳପତ୍ତନ କମ୍‌ ଥିବାରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହେବାକୁ ବସିଛି। ଭୂତଳ ଜଳ ସ୍ତର ମଧ୍ୟ ହ୍ରାସ ପାଇଲାଣି। କେନାଲ, ଚେକ୍‌ଡ୍ୟାମ୍‌ ଓ ମେଗା ଉପ ଜଳସେଚନ ପଏଣ୍ଟରେ ଜଳ ନାହିଁ। ରାଜସ୍ୱ ମନ୍ତ୍ରୀ ଗୃହରେ ବିବୃତି ରଖିବା ଉଚିତ।

ଗୃହରେ ଉଦ୍‌ବେଗକୁ ଲକ୍ଷ୍ୟ କରି ବାଚସ୍ପତି ଶ୍ରୀ ପାତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆସନ୍ତାକାଲି ସୁଦ୍ଧା ଏକ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।