ବ୍ରହ୍ମପୁର

କୃତ୍ରିମ ବନ୍ୟା ପ୍ରସଙ୍ଗ – ସହରର ମାଷ୍ଟର ପ୍ଳାନକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଦାବି

ବ୍ରହ୍ମପୁର  : (ନାରାୟଣ ମହାଙ୍କୁଡ) ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 10 ତାରିଖ ଓଡିଶାରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଅଧିକାଂଶ ଅଞ୍ଚଳରେ କୃତ୍ରିମ ବନ୍ୟା ବୃଷ୍ଟି ହେବ। ପ୍ରଶାସନ, ସରକାରଙ୍କ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୂଡା, ଚିନି, ଚାଉଳ ବଣ୍ଟନ କରାଯାଇଥିବା ମଧ୍ୟ ନଜର ଅଛି। ଅତି ଦୁର୍ଭାଗ୍ୟର କଥା ପ୍ରତିବର୍ଷ ଏହି ଅବସ୍ଥା ସହରରେ ଘଟୁଥିଲେ ମଧ୍ୟ ଠିକ୍ ବର୍ଷାଦିନ ପୂର୍ବରୁ ହି ଶାସକ ଦଳକୁ ଏହି କଥା ମନେପଡୁଛି। ଗତ 20 ବର୍ଷ ହେଲା ସହରରେ କୃତ୍ରିମ ବନ୍ୟା ବୃଷ୍ଟି ହେଉଛି। କିନ୍ତୁ ଶାସକ ଦଳର ସମୀକ୍ଷା ଓ ସର୍ଭେରେ ଅଟକି ଯାଉଛି। ବାହାନାନାଳ ଓ ସାପୁଆ ନାଳର ପୁନଃଉଦ୍ଧାର କାର୍ଯ୍ୟରେ ହେରା ଫେରି ଓ ରାଜ୍ଯ ସରକାରଙ୍କ ବ୍ରହ୍ମପୁର ସହର ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ତେଣୁ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି  ପୀତବାସ ପଣ୍ଡା, ନଗର କଂଗ୍ରେସ ସଭାପତି  ପ୍ରମୋଦ ଜେନା ଓ ପିସିସି ସମ୍ପାଦକ  ଲିଙ୍ଗରାଜ ଚୌଧୁରୀ ଏହି ସହରର ଏହି କୃତ୍ରିମ ବନ୍ୟାରୁ ରକ୍ଷା ପାଇବାକୁ ହେଲେ ମାଷ୍ଟର ପ୍ଳାନ କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଓ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ସହରର ବିକାଶ ପାଇଁ ଏକ ହଜାର କୋଟି ଅନୁଦାନ ଦିଆଯାଉ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି।