ବ୍ରହ୍ମପୁର

ଗଞ୍ଜାମ : ହେଡ଼କ୍ଵାଟର ନ ଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପୁଣି କରୋନା ବ୍ୟାପିବା ଆଶଙ୍କା କରି ହେଡକ୍ୱାର୍ଟର ଛାଡ଼ିବା ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ବିନା ଅନୁମତିରେ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ି ନଯିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।  ଏହାସହ ପିକନିକ ସ୍ପଟ୍ ଏବଂ ଗୋପାଳପୁର ବେଳାଭୂମିରେ ଯେଭଳି ଭିଡ଼ ନହୁଏ ତା ଉପରେ ନଜର ରଖିବାକୁ ଜିଲ୍ଲାପାଳ ତାଗିଦ୍ କରିଛନ୍ତି।
ସେପଟେ ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। କିଛି ସମୟ ତଳେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଥିବା ନେଇ ନେଇ BMC କମିଶନର ସୂଚନା ଦେଇଥିଲେ।
ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଠାବ ପରେ ବଢୁଛି ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌ର ଚିନ୍ତା। ଭୁବନେଶ୍ୱରରୁ ଚିହ୍ନଟ ସଂପୃକ୍ତ ଆକ୍ରାନ୍ତଙ୍କ ଠାରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଅଛି ନା ନାହିଁ ଜାଣିବାକୁ ପରୀକ୍ଷା ପାଇଁ ତାଙ୍କ ସ୍ୱାବ୍‌କୁ ପୁଣେ ପଠାଯାଇଛି।
ତେବେ ବ୍ରିଟେନ ଫେରନ୍ତାଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଫେରିଥିବା ସମସ୍ତ ୪୩ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ସବୁ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟ ACS।
ଭୁବନେଶ୍ୱର ଫେରିଥିବା ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ କରୋନାର ନୂଆ ଷ୍ଟ୍ରେନ୍‌ ନେଇ ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହି ଖବର ପରେ ରାଜ୍ୟବାସୀ ଭୟରେ ଥିବା ବେଳେ ରାଜ୍ୟରେ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜା ଅଭିଯାନ ଆରମ୍ଭ କରିଥିଲେ ରାଜ୍ୟ ସରକାର।