ଦେଶ ବିଦେଶ

ପିଏମ୍ଏୱାଇ (ୟୁ) ଅଧିନରେ ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଗୃହ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧିନରେ ୧,୬୮,୬୦୬ ଟି ନୂତନ ଗୃହ ନିର୍ମାଣକୁ କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟି (ସିଏସ୍‌ଏମ୍‌ସି) ର ୫୨ତମ ବୈଠକରେ ଅନୁମୋଦନ କରାଯାଇଛି । ଦେଶର ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରସ୍ତାବିତ ଗୃହ ଗୁଡିକ ହିତାଧିକାରୀ ଭିତ୍ତିକ ନିର୍ମାଣ, ସହଭାଗିତାରେ ସୁଲଭ ଗୃହ ଏବଂ ବସ୍ତି ବିକାଶର ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ ହେବ । ରାଜ୍ୟମାନେ ବିଭିନ୍ନ ପ୍ରସଙ୍ଗ ଯଥା ଜମି, ପ୍ରାକୃତିକ ବିପର୍ଯ୍ୟୟ, ଆନ୍ତଃ-ସହର ସ୍ଥାନାନ୍ତରଣ, ଜମି ପସନ୍ଦରେ ପରିବର୍ତ୍ତନ ଆଦିକୁ ନେଇ ସେମାନଙ୍କର ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ୭୦ ଲକ୍ଷରୁ ଅଧିକ ଗୃହ ବିଭିନ୍ନ ପର୍ଯ୍ୟାୟ ନିର୍ମାଣ ଅବସ୍ଥାରେ ଥିବାବେଳେ ୪୧ ଲକ୍ଷରୁ ଅଧିକ ଗୃହର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ବୈଠକରେ ଅଧ୍ୟକ୍ଷତା କରିଥିବା ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ପିଏମ୍‌ଏୱାଇ(ୟୁ) ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ରଣନୀତି ପ୍ରସ୍ତୁତ ସକାଶେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରିଛନ୍ତି । “ ମିଶନ ଅଧିନରେ ଅଗ୍ରଗତି ସ୍ଥିର ରହିଛି । ସମସ୍ତ ମୌଳିକ ଓ ସାମାଜିକ ଭିତ୍ତିଭୂମିକୁ ନେଇ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଆଗକୁ ଯିବାକୁ ପଡିବ ବୋଲି ସେ କହିଛନ୍ତି । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନେ ହିତାଧିକାରୀଙ୍କ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଓ ବିତରଣ ଉପରେ ଧ୍ୟାନ ଦେବେ । ସେ ଆହୁରି ମଧ୍ୟ ଏହି ଯୋଜନାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସୁଲଭ ମୂଲ୍ୟରେ ଭଡା ଗୃହ ଅଟ୍ଟାଳିକା (ଏଆରଏଚ୍‌ସି) କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଅନୁରୋଧ କରିଛନ୍ତି ।

ଦେଶର ଛଅଟି ସହର ଯଥା ଅଗରତାଲା (ତ୍ରିପୁରା), ରାଞ୍ଚି (ଝାଡଖଣ୍ଡ), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ଇନେ୍ଦାର (ମଧ୍ୟ ପ୍ରଦେଶ) ରାଜକୋଟ (ଗୁଜୁରାଟ) ଏବଂ ଚେନ୍ନାଇ(ତାମିଲନାଡୁ) ରେ କାର୍ଯ୍ୟକାରୀ ହେଉଥିବା ଛଅଟି ଲାଇଟ୍‌ ହାଉସ ପ୍ରକଳ୍ପ (ଏଲଏଚ୍‌ପିଏସ୍‌) ରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଶିକ୍ଷାଲାଭ କରିପାରିବେ । ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଗୃହ ନିର୍ମାଣ ପାଇଁ ଏହି ଜ୍ଞାନକୌଶଳର ଉପଯୋଗ କରାଯାଇ ପାରିବ ବୋଲି ସେ କହିଛନ୍ତି ।

କୋଭିଡ-୧୯ ମହାମାରୀ ସମୟରେ ଏହା ଥିଲା ସିଏସ୍‌ଏମ୍‌ସି ର ଦ୍ୱିତୀୟ ବୈଠକ । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ୨୦୨୨ ସୁଦ୍ଧା ଭାରତର ସହରାଞ୍ଚଳରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ । “ସମସ୍ତଙ୍କ ପାଇଁ ଘର” ର ଲକ୍ଷ୍ୟ ସହିତ ସମଗ୍ର ଦେଶରେ ପିଏମ୍‌ଏୱାଇ (ୟୁ) ଅଧିନରେ ଧାର୍ଯ୍ୟ ସମୟ ମଧ୍ୟରେ ଘର ଗୁଡିକର ନିର୍ମାଣ, କାର୍ଯ୍ୟ ସମ୍ପୂର୍ଣ୍ଣ ଓ ବିତରରଣକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦିଅଯାଉଛି ।