ଓଡ଼ିଶା

ଶ୍ରୀକ୍ଷେତ୍ର ପରେ ଅର୍କକ୍ଷେତ୍ର :ବିଶ୍ୱସ୍ତରୀୟ ହେବ କୋଣାର୍କ ଭିତ୍ତିଭୂମି

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି । କୋଣାର୍କକୁ ପ୍ରତିଦିନ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା ।

ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ । କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ୱସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ୱର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି । ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିରର ମୁଖ୍ୟ ଅଂଶ ଭାଙ୍ଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡ଼ିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରି ଆସୁଛି ।

ଏହି ମନ୍ଦିର ତକ୍ରାଳୀନ ଓଡ଼ିଶାର ସମ୍ପନ୍ନତା ବିଷୟରେ ସୂଚିତ କରିଥାଏ । ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତକ୍ରାଳୀନ ଓଡ଼ିଶାର ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ ମସିହାରେ ୟୁନେସ୍କୋ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲାକୋଣାର୍କ ସୂର୍ଯ୍ୟ ମନ୍ଦିରର ଗାରିମାର ସୁରକ୍ଷା,ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ । କୋଣାର୍କ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଂ ରୋଡକୁ ୬ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ । ଫେରିବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କେପିଂ କରାଯିବ । ପ୍ରବେଶସ୍ଥଳରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା’ ସହିତ ଗାଡ଼ି ମୋଟର ପାର୍କିଂ ପାଇଁ ମଲ୍ଟି ମୋଡାଲ୍ ହବ୍ ନିର୍ମାଣ କରାଯିବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନଃର୍ବିନ୍ୟାସ କରାଯିବ ।ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥ·ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ ।

କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ୱସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂ·ଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ । ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।