ବ୍ରହ୍ମପୁର

ସରକାର ସମ୍ପୂର୍ଣଭାବେ ଅସଫଳ ହୋଇଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ

ବ୍ରହ୍ମପୁର: (ଅଭିରାମ ପାତ୍ର) ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଲକଡାଉନ ଛଡା ସରକାରଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ l ବିଜ୍ଞାନ, ବୈଜ୍ଞାନିକ ଗବେଷଣା ଓ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଗୁରୁତର ଅବହେଳାର ପରିଣାମ ସ୍ୱରୂପ ଆଜି  ମହାମାରୀ ଭଳି ପରିସ୍ଥିତିରେ ସରକାର ସମ୍ପୂର୍ଣଭାବେ ଅସଫଳ ହୋଇଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି  l ଜନଗଣଙ୍କ ଜୀବନ ଜୀବିକା ଭୁଶୁଡି ପଡିଥିବା ବେଳେ ଲୋକଙ୍କ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଚିକିତ୍ସା ଓ ଲୋକଙ୍କୁ ଥଇଥାନ ପାଇଁ ସରକାର କୌଣସି ନିର୍ଦ୍ଧିଷ୍ଟ ଜନକଲ୍ୟାଣ ବ୍ୟବସ୍ଥା ନ କରି ବରଂ ଦରଦାମ ବୃଦ୍ଧିକରି ଲୋକଙ୍କୁ ଲୁଟିବାରେ ମଧ୍ୟ ପଛେଇନାହାନ୍ତି l ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ ଶୁଳ୍କ, ଖାଦ୍ୟ ସାମଗ୍ରୀ ତଥା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି କରି ସରକାର ଏକରକମ କୃତ୍ରିମ ସଙ୍କଟ ସୃଷ୍ଟି କରିଛନ୍ତି lଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ନିଜେ ଘରୋଇ କମ୍ପାନୀ ଭଳି ବ୍ୟବସାୟୀମୁଖୀ ହୋଇ ଜନତାଙ୍କ ଉପରେ ବହୁ ଗୁଣରେ ଟିକସ ଲଦିଛନ୍ତି l କରୋନା ଠୁ ବଳି ପଡିଥିବା   ଜନଗଣଙ୍କ ଏହି ଅଭାବୀ ପରିସ୍ଥିତିରେ ସରକାରଙ୍କ ଏହି ଅନ୍ୟାୟ ଶୋଷଣ ବିରୁଦ୍ଧରେ   କେବଳ ପ୍ରତିବାଦ ହିଁ ଏକ ମାତ୍ର ଜନଗଣଙ୍କ ପାଇଁ  ବିକଳ୍ପ ହୋଇପଡିଛି l ଏହି ଶକ୍ତିକୁ ସାମୁହିକ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମର ନିହାତି ଆବଶ୍ୟକତା ରହିଛି ବୋଲି ମଞ୍ଚ ଆବାହକ ଅବନୀ ଗୟା ମତବ୍ୟକ୍ତ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ବେହେରା,ଜି. ଶୁଭଙ୍କର,ଅର୍ପିତା ପ୍ରିୟଦର୍ଶିନୀ, ଜି. ତାରିଣୀ ପ୍ରମୁଖ ଅଂଶ ଗ୍ରହଣ କରି ସରକାରଙ୍କ ଏହି ଜନବିରୋଧୀ ପଦକ୍ଷେପର ତୀବ୍ର ନିନ୍ଦା କରିଛନ୍ତି l