ଓଡ଼ିଶା ବ୍ରହ୍ମପୁର

ଘରକୁ ଫେରିଲେ ବ୍ରହ୍ମପୁରର ଶିବାଶିଷ, ବଖାଣିଲେ ଅନୁଭୂତି

ବ୍ରହ୍ମପୁର : ଘରକୁ ଫେରିଲେ ଶିବାଶିଷ ନାୟକ । ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଜାନୁଆରୀ ୧୦ ତାରିଖରେ ଜାପାନ ଯାଇଥିଲେ । ଫେବୃଆରୀ ୬ ତାରିଖରେ ଫେରିବାର ଥିଲା । କରୋନା ଯୋଗୁ ଜାପାନର ପ୍ରିନ୍‌ସେସ ଡାଇମଣ୍ଡ ଜାହାଜରେ ଅଟକିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଫେବୃଆରୀ ୨୭ ତାରିଖରେ ଜାହାଜରୁ ଉଦ୍ଧାର ହୋଇ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ । ରିପୋର୍ଟର ନେଗେଟିଭ୍‌ ଆସିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ରଖାଯାଇଥିଲା । ଘରକୁ ଫେରିବା ପରେ ତାଙ୍କ ଅନୁଭୂତି ବଖାଣିଛନ୍ତି ଶିବାଶିଷ । ପୁଅ ଘରକୁ ଫେରିଥିବାରୁ ପରିବାରରେ ଖୁସି କହିଲେ ନସରେ ।

ଶିବାଶିଷଙ୍କର ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧୧ ତାରିଖରେ ନମୂନା ପରୀକ୍ଷା କରାଯାଇଥିଲା । ଦୁଇଟି ଯାକ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଫଳରେ ବ୍ରହ୍ମପୁରର ଶିବାଶିଷ ନାୟକଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଥିଲା । ଗତକାଲି ରାତିରେ ସେ ବ୍ରହ୍ମପୁର ଫେରିଛନ୍ତି । କରୋନାର କୋକୁଆ ଭୟ ଭିତରେ ଜାହାଜରେ ସେତେବେଳର ମୁହୂର୍ତ୍ତ କଷ୍ଟଦାୟକ ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିବାଶିଷ । ସେ କହିଛନ୍ତି, ଜାହାଜ ଭିତରେ ୨୪ ଘଂଟାରୁ ଅଧଘଂଟା ବାହାରକୁ ବାହାରିବାକୁ ଅନୁମତି ମିଳୁଥିଲା । ସମସ୍ତ ଯାତ୍ରୀ ଭୟରେ ଥିଲେ । ଠିକ ସେ ଖାଇବାକୁ ମିଳୁନଥିଲା । ଅଧିକାଂଶ ସମୟ ଫଳ ଖାଇ ରହିଥିଲେ ବୋଲି କହିଛନ୍ତି ଶିବାଶିଷ । କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।