ଓଡ଼ିଶା

ସଂକ୍ରମଣ ରୋକିବାକୁ ବ୍ରହ୍ମପୁର ମହାନଗର ନିଗମ କଟକଣା, କଲ୍ୟାଣ ମଣ୍ଡପ, ପାର୍କ ଓ ଲାଇବ୍ରେରୀ ବନ୍ଦ

ବ୍ରହ୍ମପୁର : ରାଜ୍ୟରେ କରୋନା ଭାଇରସ୍‌କୁ ନେଇ ରାଜ୍ୟ ବିପର୍ଯ୍ୟୟ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ବିଏମ୍‌ସି ଅଞ୍ଚଳରେ କରୋନା ପ୍ରତିକାର ଦୃଷ୍ଟିରୁ ବ୍ୟାପକ କଟକଣା ଜାରି କରିଛି । ସର୍ବସାଧାରଣ ଲୋକଙ୍କ ଗହଳି ହେଉଥିବା ପାର୍କ, ଲାଇବ୍ରେରୀକୁ ବନ୍ଦ କରି ଦିଆଯାଇଛି । କଲ୍ୟାଣ ମଣ୍ଡପ, ମ୍ୟାରେଜ୍ ଗାର୍ଡେନ୍ ସମେତ କର୍ମାନୁଷ୍ଠାନମାନଙ୍କରେ ପାର୍ଟି, ଭୋଜି କରିବାକୁ ବାରଣ କରାଯାଇଛି । ପରୀକ୍ଷା ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ କରି ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରବିବାର ମଧ୍ୟାହ୍ନରେ ଜିଲ୍ଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଓ କମିଶନର୍ ଚକ୍ରବର୍ତ୍ତୀ ସିଂହ ରାଠୋର୍ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ବିଏମ୍‌ସି ଅଧିନରେ ଡେପୁଟେସନ୍‌ରେ ନିଯୁକ୍ତ ଡା. ଇ.ରଞ୍ଜିତ ପାତ୍ର ହୋଇଛନ୍ତି ନୋଡାଲ୍ ଅଫିସର୍ (କରୋନା) । କରୋନା ପ୍ରତିଷେଧକ ନିମନ୍ତେ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଡା. ପାତ୍ର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ଜିଲ୍ଲାପାଳ ତଥା ବିଏମ୍‌ସି କମିଶନର୍‌ଙ୍କ ସୂଚନା ମୁତାବକ ବିଏମ୍‌ସି ତଥା ବିଡିଏ ଅଞ୍ଚଳରେ ଥିବା ସମସ୍ତ ପାର୍କ, ପବ୍ଲିକ୍ ଲାଇବ୍ରେରୀ, ଇ-ଲାଇବ୍ରେରୀ, ପାଠାଗାର, ସରକାରୀ ଓ ଘରୋଇ କଲେଜ, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ହଷ୍ଟେଲ୍‌, ହୋଟେଲ୍‌, ରେସ୍ତୋରାଁ, କଲ୍ୟାଣ ମଣ୍ଡପ, ମ୍ୟାରେଜ୍ ଗାର୍ଡେନ୍ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ବ୍ୟାଙ୍କ୍‌, ଦୋକାନ ବଜାର, ମଲ୍ ଏବଂ ସାଧାରଣ ପରିବହନ ବ୍ୟବସ୍ଥା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି । ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିବା ସାଙ୍ଗକୁ ଯେଉଁଠି ହଷ୍ଟେଲ୍ ସୁବିଧା ରହିଛି ଅନ୍ୟାଦେଶ ପର୍ଯ୍ୟନ୍ତ ଯଥାସମ୍ଭବ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେବାକୁ ପରାମର୍ଶ ଦିଆଯାଇଛି । ହଷ୍ଟେଲ୍‌ମାନଙ୍କରେ ଭିଜିଟର୍ସ ରେଜିଷ୍ଟର ନିଶ୍ଚିତ କାର୍ଯ୍ୟକାରୀ କରାଯିବ । ହଷ୍ଟେଲ୍ ଅନ୍ତେବାସୀ, ଅନ୍ତେବାସିନୀଙ୍କ ଚଳପ୍ରଚଳକୁ ନିୟନ୍ତ୍ରିତ କରିବାକୁ କୁହାଯାଇଛି । ଏଥିସହ ଏ ବାବଦରେ ବିଏମ୍‌ସି କମିଶନର୍‌ଙ୍କୁ କର୍ତ୍ତୃପକ୍ଷ ଅବଗତ କରାଇବେ । ହୋଟେଲ୍‌, ରେସ୍ତୋରାଁ, କଲ୍ୟାଣ ମଣ୍ଡପ, ମ୍ୟାରେଜ୍ ଗାର୍ଡେନ୍ ପାଇଁ କଟକଣା ଜାରି ସହ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏସବୁ ସ୍ଥାନରେ ଏକ ଭଲ ଜାଗାରେ କୋଭିଡ୍‌-୧୯ (କରୋନା ଭାଇରସ୍‌) ପ୍ରତିଷେଧକ ସମ୍ପର୍କିତ ବାର୍ତ୍ତା ପ୍ରଦର୍ଶିତ ହେବ । ସରକାରୀ ଓ ଘରୋଇ କଲ୍ୟାଣ ମଣ୍ଡପ, ମ୍ୟାରେଜ୍ ଗାର୍ଡେନ୍‌ରେ ହୋଇଥିବା ସମସ୍ତ ବୁକିଂ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି । ଆଗୁଆ ଜମା ଅର୍ଥ ଫେରସ୍ତ କରିବେ ସମ୍ପୃକ୍ତ କର୍ତ୍ତୃପକ୍ଷ । ହୋଟେଲ୍ ଓ ରେସ୍ତୋରାଁରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପାର୍ଟି ବା ଅନ୍ୟ ଇଭେଣ୍ଟ୍ ପାଇଁ କୌଣସି ବୁକିଂ କରାଯିବନି । ମଠ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରା ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ବି ଏହି କଟକଣା ଲାଗୁ ହେବ । ସପିଙ୍ଗ୍ ମଲ୍‌କୁ ମଧ୍ୟ କଟକଣା ପରିସରଭୁକ୍ତ କରାଯାଇଛି । କୌଣସି ବ୍ୟତିକ୍ରମ ହେଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବାର ଚେତାବନୀ ଦିଆଯାଇଛି । କରୋନା ସଚେତନତା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗେଇ ଆସୁଛନ୍ତି । ଏହା ସ୍ୱାଗତଯୋଗ୍ୟ ହେଲେ ହେଁ ୪-୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ଅନୁରୋଧ କରିଛି ବିଏମ୍‌ସି ପ୍ରଶାସନ । ଅପରପକ୍ଷରେ ବିଏମ୍‌ସି ଚିଠି ନମ୍ବର ୩୭୩୮/୧୫.୩.୨୦୨୦ ପ୍ରକାରେ ମହାନଗର ନିଗମ ଦ୍ୱାରା ଘୋଷିତ ଆବାସ ଯୋଜନା (ଏଚ୍‌ଏଫ୍‌ଏ) ପତ୍ର ସଂଖ୍ୟା ୩୬୩୫/୧୩.୩.୨୦୨୦କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ହିତାଧିକାରୀ ତାଲିକା ସ୍ଥଗିତ ରହିବ ବୋଲି ପତ୍ରରେ ଦର୍ଶାଇଛନ୍ତି କମିଶନର୍ । ରବିବାର ଶ୍ରୀରାମନଗରସ୍ଥିତ ଶାନ୍ତିମାର୍ଗ କଲ୍ୟାଣ ମଣ୍ଡପ ଠାରେ ରାଜୀବ ଆବାସ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା । ପୂର୍ବାହ୍ଣରେ ଏଥିପାଇଁ ବହୁ ଆଶାୟୀ ହିତାଧିକାରୀ ଆସିଥିଲେ । ତେବେ ପରେ ଏହାକୁ ବାତିଲ କରି ଦିଆଯାଇଥିବା ଓ ହିତାଧିକାରୀଙ୍କୁ ଫେରାଇ ଦିଆଯାଇଥିବା ସୂଚନା ମିଳିଛି । ସେହିପରି ମାସ୍କ ଚାହିଦା ବୃଦ୍ଧି ପାଇଥିବାରୁ ବିଏମ୍‌ସିରେ ଏସ୍‌ଏଚ୍‌ଜିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେମାନେ ଶୀଘ୍ର ୨ ଓ ୩ ଥାକିଆ ମାସ୍କ ଲୋକଙ୍କ ପକେଟ୍‌କୁ ସୁହାଇବା ଦରରେ ଯୋଗାଣ କରିବେ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ଯେ- ଆମେ ସୁସ୍ଥ ରହିଲେ ଯେକୌଣସି ମନୋରଞ୍ଜନ କରିପାରିବା । ଜରୁରି କାମ ନଥିଲେ ଲୋକେ ଘରୁ ବାହାରନ୍ତୁ ନାହିଁ । ଯଦି ବାହାରୁଛନ୍ତି ତେବେ ମାସ୍କ ପିନ୍ଧି ବାହାରନ୍ତୁ । ଫେରିବା ପରେ ହ୍ୟାଣ୍ଡ୍ ସାନିଟାଇଜର୍‌ରେ ସଫା କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।

2