ବ୍ରହ୍ମପୁର

ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର :  ଛତ୍ରପୁର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଆସନ୍ତା ଅଗଷ୍ଟ ୧୫ରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗତ ଶୁକ୍ରବାର ଦିନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ କିଭଳି ଶାନ୍ତି ବଜାୟ ରଖି ସରସ ଓ ସୁନ୍ଦର ରୂପେ ସ୍ୱାଧୀନତା ଦିବସକୁ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା । ସୂଚନା ଅନୁଯାୟୀ ସେହି ଆଲୋଚନାରେ ସ୍ୱାଧୀନତା ଦିବସ ଦିନ ସହରର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ବେସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଆଲୋକରେ ସଜ୍ଜିତ କରିବାକୁ କୁହାଯାଇଛି । ଏହି ଅବସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଏହାସହ ସହରରେ ଏକ ଶୋଭାଯାତ୍ରା ସହ ସମ୍ମିଳିତ ପରେଡ ଓ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜିଲ୍ଲାର ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ, ପୋଲିସ କନେଷ୍ଟେବଲ, ସରପଞ୍ଚ, ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଭାରେ ସମ୍ମାନିତ କରାଯିବ . ପରେଡରେ ୪୮ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ଏଥିପାଇଁ ଆସନ୍ତା ୧୧ ରୁ ୧୩ ତାରିଖରେ ପୋଲିସ ପଡ଼ିଆରେ ଅଭ୍ୟାସ ପରେଡ ଅନୁଷ୍ଠିତ କରାଯିବ । ଅପରାହ୍ନରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ନେଇ ନିଷ୍ପତ୍ତି କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଡୁଡା ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହାସହ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପ୍ରଫୁଲ ପଟ୍ଟନାୟକ, ସମାପ୍ତି ପଣ୍ଡା, ସୟଦ ମୁକ୍ତାର, ଅମୀୟ ଧଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ ।