ବ୍ରହ୍ମପୁର

ଲକଡାଉନରେ ବ୍ରହ୍ମପୁରରୁ ଗଡ଼ିଲା ପ୍ରଥମ ଟ୍ରେନ ।

ବ୍ରହ୍ମପୁର : (ଅସିତ ପଣ୍ଡା) କରୋନାକୁ ନେଇ ବର୍ତ୍ତମାନ ସାରା ଦେଶରେ ଲକ ଡାଉନ ଜାରି ରହିଛି। ତେବେ ଯାତ୍ରୀଙ୍କ ଯାତାୟାତ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି। କରୋନାକୁ ନେଇ ଲକ ଡାଉନ ଚାଲିଥିବା ବେଳେ ଟ୍ରେନ ରେ ଯାତ୍ରା କରିବା ସମୟରେ ମଧ୍ୟ ସରକାରଙ୍କ ସତର୍କତା ମୂଳକ ନିୟମ ମାନି ଯାତ୍ରୀ ଯାତ୍ରା କରିପାରିବେ। ବହୁତ ଦିନ ପରେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ରୁ ପ୍ରଥନ ଟ୍ରେନ ଗଡ଼ିଛି। ସକାଳ ୭ ଘଣ୍ଟ ୫ ମିନଟ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫୋର୍ମ ରୁ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିଥିଲା। ଟ୍ରେନ ମୋଟ ୧୦୭ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ରିଜରଭେସନ କରିଥିବା ବେଳେ ୯୭ ଜଣ ଯାତ୍ରୀ ସମ୍ପୁର୍ଣ ଟ୍ରେନ ରେ ଭୁବନେଶ୍ୱର ଯାତ୍ରା କରିଥିଲେ। ପ୍ଲାଟଫୋର୍ମ ରୁ ଟ୍ରେନ ଛାଡିବାର ଦେଢ଼ ଘଣ୍ଟା ପୂର୍ବରୁ ଯାତ୍ରୀ ମାନେ ଷ୍ଟେସନରେ ପହଂଚିଥିଲେ । ଷ୍ଟେସନରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତ ଯାତ୍ରୀ ନିଜ ନିଜ ମୋବାଇଲ ରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିଛନ୍ତି କି  ନାହିଁ ଯାଞ୍ଚ କରାଯାଇଥିଲା। ଯେଉଁମାନଙ୍କ ଆରୋଗ୍ୟ ସେତୁ ଆପ ନାହିଁ ସେମାନଙ୍କର ଡାଉନଲୋଡ଼ କରାଯାଇଥିଲା। ଯେଉଁଯାତ୍ରୀ ମାନଙ୍କର ରିଜଭେସନ ଅଛି ସେମାନଙ୍କୁ ହିଁ ଟ୍ରେନ ରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ଆର୍ପିଏଫ ଓ ରେଳ ଷ୍ଟେସନ କର୍ମଚାରୀ। ଅନ୍ୟପଟେ ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ଗତ ୩ ତାରିଖରୁ କୋଣାର୍କ ଏକ୍ସପ୍ରେସ ଓ ଗତ ୪ ତାରିଖରୁ ଫାଲକନାମା ସୁପରଫାଷ୍ଟ ଏକ୍ସପ୍ରେସ ଯାତାୟାତ କରୁଛି। ଏହି ଦୁଇଟି ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫୋର୍ମରେ ଲାଗୁଥିବା ବେଳେ ଟ୍ରେନରୁ ଓଲ୍ହାଉଥିବା ଯାତ୍ରୀଙ୍କୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ବାମ ହାତରେ ଷ୍ଟାମ୍ପ ମରାଯାଉଛି। ଏଥିସହ ପ୍ରଶାସନ ପକ୍ଷରୁ ଗାଡି ଯୋଗେ ବ୍ୟବସ୍ଥା କରାଯାଇ ଆସିଥିବା ଯାତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ଅଂଚଳ ପଠାଯାଇ ସେଠାରେ ଥିବା ସଂଘରୋଧ ଗୃହରେ  ରଖାଯାଉଛି। ସୂଚନା ଥାଉକି ଗତ  ମାର୍ଚ୍ଚ ୨୫ ତାରିଖରେ କରୋନାକୁ ଆଖି ଆଗରେ ରଖି ଦେଶବ୍ୟାପୀ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା।

1