ଓଡ଼ିଶା

ସରକାରୀ ନିୟମ ମାନି ଦଣ୍ଡ ନାଚ କରିବାକୁ ନିଷ୍ପତ୍ତି : ଚିତ୍ରାଳୟ ସଂଘ

ବ୍ରହ୍ମପୁର : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ସାଧାରଣ ବୈଠକ ସ୍ଥାନୀୟ ଗୋସାଇଁ ନୂଆଗାଁ ମା କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଟ ମହାସଂଘ ସଭାପତି ଶିବରାମ ପ୍ରଧାନ ଅତିଥି ଭାବରେ ଯୋଗଦେଇ କରୋନା ଜନିତ ସରକାରୀ କଟକଣାକୁ ପୂର୍ଣତଃ ମାନି ନେଇ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପାରମ୍ପରିକ ଦଣ୍ଡ ନାଚ ଓ ନାଟକ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳ ତ୍ରୟ ସର୍ତ୍ତ ମୂଳକ ଅନୁମତି ପ୍ରଦାନ କରିଥିବା ହେତୁ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ସଂଘର ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସ୍ଵାଗତ ଭାଷଣ କ୍ରମରେ ଜିଲ୍ଲା ପ୍ରଶାସନର ଅନୁମତି ପ୍ରଦାନ କ୍ଷେତ୍ରରେ ଅହେତୁକ ବିଳମ୍ବ ହେତୁ ଅଧିକାଂଶ ଦଣ୍ଡ ଦଳ ନାଟକ ବନ୍ଦ କରିଥିବା ସୂଚନା ଦେବା ସହିତ ଯେଉଁ କେତୋଟି ଦଣ୍ଡ ପାର୍ଟିରେ ନାଟକ ପରିବେଷଣ ହେବ ସେଠାରେ ଚିତ୍ରାଳୟ ଓ ଶବ୍ଦାଲୋକ ସଂସ୍ଥା କରୋନା କଟକଣାକୁ କଡ଼ାକଡ଼ି ଭାବରେ ପାଳନ ସହ ସଂପୃକ୍ତ ଦଣ୍ଡ ଦଳକୁ ଆବଶ୍ୟକ ସ୍ଥଳେ ଏ କ୍ଷେତ୍ରରେ ଯଥାର୍ଥ ପରାମର୍ଶ ଦେବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ବୈଠକରେ ସଂଘ ତରଫରୁ ସମସ୍ତ ସଦସ୍ୟ ମାନଙ୍କୁ ଗାଇଡ ଲାଇନ୍ ଚିଠା ବଣ୍ଟନ କରାଯାଇଥିଲା । ଏ ଅବସରରେ ପ୍ରଶାସନିକ ଅନୁମତି ସଂକ୍ରାନ୍ତରେ ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ, ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଜିଲ୍ଲା ଦଣ୍ଡ ନାଟ ମହାସଂଘ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଭାପତି, ସମ୍ପାଦକ ତଥା କିଛି ସଦସ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଅତ୍ୟନ୍ତ ପ୍ରଶଂସାର୍ହ କାର୍ଯ୍ୟ ସମ୍ପାଦନ ବୋଲି ମାତା ପ୍ରକାଶ ପାଇଥିଲା । ବୈଠକରେ ସର୍ବଶ୍ରୀ ସୁବାସ ଚନ୍ଦ୍ର ପାତ୍ର, ଚନ୍ଦ୍ରଶେଖର ବଡୁ, ଶରତ ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର ମିଶ୍ର, ମନୋଜ ବରଡ, ଆଦିତ୍ୟ ପଟ୍ଟନାୟକ, ଗୌରହରି ସାବତ, ଯୋଗେନ୍ଦ୍ର ପ୍ରଧାନ, ରଜନୀକାନ୍ତ ପ୍ରଧାନ, ରମେଶ ପଲେଇ, ଅରକ୍ଷିତ ରାଓ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସଂଘ ଉପ-ସଭାପତି ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।