ଓଡ଼ିଶା

ଲୋକଙ୍କ ହିତରେ ଆସୁନି ବ୍ରହ୍ମପୁର ପାଇକାରୀ ଭଣ୍ଡାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଥିବା ସମବାୟ ସମିତି ଗୁଡ଼ିକୁ ଦୁର୍ନୀତିର ଏନ୍ତୁଡ଼ି ଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ I ହାତଗଣତି କିଛି ଦିନ ତଳେ ବିଧାନସଭା ପ୍ରଶ୍ନ କାଳରେ ଜୟପୁର ବିଧାୟକ ତାରା ବାହିନୀ ପତିଙ୍କ ଅଭିଯୋଗ ପ୍ରକାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଅଧୀନରେ ଥିବା ଜମି ଘୋଟଲାକୁ ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ପ୍ରାଥମିକ ତଦନ୍ତକୁ ଭିତ୍ତିକରି 6ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ନିକଟସ୍ଥ ଥାନାରେ ମାମଲା ରୁଜୁ କରିବା ପାଇଁ ସରକାରୀ ନିର୍ଦ୍ଦେଶ ମିଳିଥିଲା । ଅନ୍ୟ ପକ୍ଷରେ ହିଲପାଟଣା ନିକଟରେ ଥିବା ବ୍ରହ୍ମପୁର ପାଇକାରି ଭଣ୍ଡାରରେ ହେଉଥିବା ବହୁବିଧ ଦୁର୍ନୀତିକୁ ନେଇ ତତ୍କାଳୀନ ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ରୋଚକ ମୋଡ଼ ନେବା ସହ ରାଜ୍ୟ ସରକାର ସଂସ୍ଥାର ଆୟ ବେୟର ସ୍ୱତନ୍ତ୍ର ଅଡିଟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହାରି ଭିତରେ ପ୍ରଶାସନ ପାଇକାରୀ ଭଣ୍ଡାରର ଦାୟିତ୍ୱ ନିଜ ହାତକୁ ନେବାପରେ ପୂର୍ବତ୍ତନ ସମ୍ପାଦକ ଦେବେନ୍ଦ୍ର ଦାସ ନିଜ ପଦବୀରେ ଦୁରୁପ ଯୋଗ କରି ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ପ୍ରଥମେ ଏକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ଦେବା ସହ ନିଜ ଅବସର ପରେ ତାଙ୍କୁ ସମ୍ପାଦକ ଦାୟିତ୍ୱ ଦେଇଥିଲେ ଯାହା ତଦନ୍ତ ସମୟରେ ସାମ୍ନାକୁ ଆସିବାରୁ ଶଙ୍କରକୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ଯେଉଁ ମହତ ଉଦେଶ୍ୟ ରଖି ବ୍ରହ୍ମପୁର ପାଇକାରୀ ଭଣ୍ଡାର ପ୍ରତିଷ୍ଟା ହୋଇଥିଲା ତାହା ବର୍ତ୍ତମାନ ଲୋକଙ୍କ ହିତରେ ଆସୁନାହିଁ ବରଂ ଦୁର୍ନୀତି ଖୋର ମାନଙ୍କ ପେଣ୍ଠସ୍ଥଳି ପାଲଟି ଯାଇଥିବା ଦେଖିବାକୁ ମିଳିଚି । ଏହା ଏକ କେନ୍ଦ୍ରୀୟ ସମବାୟ ସଂସ୍ଥା ନିରୀହ ଗରିବ ଲୋକ ମାନଙ୍କୁ ସୁଲଭ ଦରରେ ଡାଲି, ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଏହି ପ୍ରକାର କୌଣସି କାର୍ଯ୍ୟ ସେଠାରେ ସାଧିତ ହେଉନାହିଁ I ଏହି ସଂସ୍ଥା ଅଧୀନରେ ଥିବା ବ୍ରହ୍ମପୁର ଖାଉଟି ସମବାୟ ଷ୍ଟୋରକୁ ଦୀର୍ଘ ବର୍ଷ ହେବ ବନ୍ଦ କରାଯାଇଥିବାବେଳେ ଉକ୍ତ ସ୍ଥାନରେ ସାମଗ୍ରୀ ବିକ୍ରି ନିମନ୍ତେ ଦୁଇ ଜଣ କର୍ମଚାରୀ କାର୍ଯ୍ୟ କରୁଚନ୍ତି ଏବଂ ପ୍ରତି ମାସରେ ସେମାନଙ୍କୁ ପ୍ରାପ୍ୟ ବାବଦରେ ନଅ ହଜାର ଟଙ୍କା ଦିଆଯାଉଥିବା କାଗଜ ପତ୍ରରେ ଦର୍ଶାଯାଇ ଅର୍ଥ ଆତ୍ମସାତ ହେଉଥିବା ସରକାରୀ ତଦନ୍ତରୁ ସ୍ପଷ୍ଟ ହୋଇଛି । ଉକ୍ତ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ନିୟମ ଅନୁଯାୟୀ ସଭାପତି ଓ ସମ୍ପାଦକଙ୍କ ମିଳିତ ଆକାଉଣ୍ଟ ଭାବରେ କାର୍ଯ୍ୟ କରିବା ପାଇଁ ନିୟମ ଥିବାବେଳେ କେବଳ ପ୍ରାକ୍ତନ ସମ୍ପାଦକଙ୍କ ନାମରେ ହିଁ ତାହା ପରିଚାଳିତ ହେଉଚି । ଏହି ସଂସ୍ଥା ସରକାରଙ୍କ ଠାରୁ ବହୁ ବର୍ଷ ପୂର୍ବେ ୪୦ ଲକ୍ଷ ଟଙ୍କା ଋଣ ଆଣିଥିବାବେଳେ ବାରମ୍ବାର ତାଗିଦ ପରେ ମଧ୍ୟ ଋଣ ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରିବାରେ ବିଫଳ ହୋଇଚି । ତେଣୁ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଚିଠି ନମ୍ବର-୨୧୬୬ ରେ ଶ୍ରୀ ଦାସ ସମବାୟ ସମିତି ସମୂହ ଉପ-ସହକାରୀ ନିବନ୍ଧକ ଶିବ ଶଙ୍କର ସ୍ୱାଇଁଙ୍କୁ ନିର୍ଦ୍ଧେଶ ଦେଇଚନ୍ତି I ଅନ୍ୟପକ୍ଷରେ ପାଇକାରୀ ଭଣ୍ଡାର ମଧ୍ୟରେ ଥିବା ସମବାୟ କଲ୍ୟାଣ ମଣ୍ଡପ କୌଣସି ଜନହିତକର କାର୍ଯ୍ୟରେ ଆସୁନଥିବା କାରଣରୁ ସେଠାରେ ସରକାରୀ କାର୍ଯ୍ୟାଳୟ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ କିଛି ଅସାଧୁ ନେତା ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ତାହାକୁ ବିରୋଧ କରୁଥିବା ଦେଖିବାକୁ ମିଳୁଚି । ଖୁବ ଶୀଘ୍ର ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଓ ବ୍ରହ୍ମପୁର ପାଇକାରୀ ଭଣ୍ଡାରର ପୂର୍ବତ୍ତନ ସଭାପତି ଓ ସମ୍ପାଦକଙ୍କ ଏବଂ ଉଭୟ ସଂସ୍ଥାର ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ସରକାରୀ ନିର୍ଦ୍ଦେଶ ପ୍ରକାରେ ଏସଡ଼ିଜେଏମରେ ଏତଲା ଦିଆଯିବ ବୋଲି ବ୍ରହ୍ମପୁର ସହକାରୀ ନିବନ୍ଧକ ଶିବ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।