ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ସପ୍ତାହରେ ଅନ୍ୟୁନ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବାକୁ ନିଷ୍ପତ୍ତି ନେଇ ସଂଗଠନ ପକ୍ଷରୁ ଏହି କାର୍ଯ୍ୟ ଗତ 4ସପ୍ତାହ ଧରି ଆରମ୍ଭ କରାଯାଇଛି। ଆଜି ୪ର୍ଥ ସପ୍ତାହ ଅବସରରେ ତଥା ଅକ୍ଟୋବର 2ତାରିଖ ଗାନ୍ଧୀ ଜୟନ୍ତୀକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ଗାନ୍ଧିଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା। ପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜାତିର ପିତାଙ୍କୁ ସ୍ମରଣ କରାଯାଇଥିଲା। ଏଥିରେ ସଂଗଠନର ବହୁ ସଦସ୍ୟ ସକ୍ରିୟ ଯୋଗ ଦେଇଥିବା ବେଳେ କିନ୍ନରଙ୍କ ସଂଘ ପକ୍ଷରୁ ଲଭଲି ଗ୍ରୁପ ପକ୍ଷରୁ ମଧ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ। ଆଜିର ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଟିମ କ୍ଲିନ ସିଟିର ମହିଳା ଶାଖାର ସଦସ୍ୟମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ଏଥିରେ ଟିମର ପ୍ରତିଷ୍ଠାତା ସଦସ୍ୟା ରଶ୍ମିରେଖା ମିଶ୍ର, ଅଞ୍ଜଳି ମହାନ୍ତିଙ୍କ ସମେତ ସଂତୋଷିନି, ପଦ୍ମିନୀ ମିଶ୍ର, ସ୍ମିତା, ସାନି ମିଶ୍ର, ପ୍ରୀତି ଓ ଲଭଲି ପ୍ରମୁଖ ସାମିଲ ହୋଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଟିମର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ୩ ଜଣନୂତନ ସଦସ୍ୟ ଟିମରେ ପଞ୍ଜିକୃତ ହୋଇଥିଲେ। ଟିମ ପକ୍ଷରୁ ଆଜି ପ୍ରାୟ ୪୦ଜଣ ସଦସ୍ୟ/ସଦସ୍ୟା ସ୍ୱତଃପ୍ରବୃତ ଭାବେ ମରଣୋତ୍ତର ଚକ୍ଷୁଦାନ କରିବାକୁ ସାମୁହିକ ଶପଥ କରି ପଞ୍ଜିକରଣ କରିଥିଲେ। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଟିମ ସଦସ୍ୟ ଶକ୍ତିଧର ରାଜଗୁରୁ କହିଛନ୍ତି।
