ବ୍ରହ୍ମପୁର

ଉପାନ୍ତ ଅଞ୍ଚଳ ଗସ୍ତକରି ଲୋକଙ୍କୁ ଭେଟିଲେ ଯୁବ ଆଇଏଏସ୍ ଅଫିସର

ବ୍ରହ୍ମପୁର : ଯୁବ ଆଇଏଏସ୍ ଅଫିସର ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି। ଶୀତତାପ ନିୟନ୍ତ୍ରିତ କୋଠରୀ ଛାଡି ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୫ଟି ଗାଆଁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। କେତେକ କହୁଛନ୍ତି ଏହି ଯୁବ ଅଫିସର ଜଣଙ୍କ ବାବୁ ନୁହଁନ୍ତି ବିକାଶ ପୁରୁଷ। ସେ ହିଁ କେବଳ ଲୋକମାନଙ୍କର ସମସ୍ୟା ବୁଝି ପାରିବେ। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଆଜି ପାତ୍ରପୁର ବ୍ଲକର ୫ଟି ଦୁର୍ଗମ ଅଞ୍ଚଳକୁ ଗସ୍ତ କରିଥିଲେ। ଡଙ୍ଗାରେ ୬ କିଲୋମିଟର ଏବଂ ପାଦରେ ଚାଲି ଚାଲି ଯାଇଥିଲେ ୧୦ କିଲୋମିଟର। ଘଂଚ ପାହାଡ ଓ ଜଳଭଣ୍ଡାର ପାର ହୋଇଥିଲେ ୨୦୧୫ ବ୍ୟାଚର ଏଇ ଯୁବ ଅଫିସର। ବୋଟରେ ଯିବାବେଳେ ପିନ୍ଧିଥିଲେ ଲାଇଫ ଜ୍ୟାକେଟ। ଦୁର୍ଗମ ଅଞ୍ଚଳର ଗ୍ରାମ ଗଲଗଲ, ବନିଆବସା, ବେହେରାପୁଟ, ଶିରୀଷଗଣ୍ଡ ଓ ଏଲଗଲରେ ପହଞ୍ଚିଥିଲେ। ତଳେ ପକାଯାଇଥିବା ଜାରି ପାଲରେ ଗ୍ରାମବାସୀଙ୍କ ସହିତ ବସି ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସାଧାରଣ ଲୋକଙ୍କ ପରି ମିଶିଥିଲେ ସମସ୍ତଙ୍କ ସହିତ। ତେଣୁ ଲୋକଙ୍କ ମନରେ ନୂଆ ଆଶା ସଂଚାର ହୋଇଛି ଯେ ଏଇ ଯୁବ ଅଫିସରଙ୍କ ଉଦ୍ୟମରେ ଉପାନ୍ତ ଅଞ୍ଚଳର ବିକାଶ ହେବ।