ଗ୍ରାହକମାନେ ଯଦି ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜର ଭାରି ବୈଦ୍ୟୁତିକ ଉପକରଣ (ଯଥା: ୱାଶିଂ ମେସିନ୍, ଏସି କିମ୍ବା ପାଣି ମୋଟର) ଚଲାନ୍ତି, ତେବେ ସେମାନେ ଅପେକ୍ଷାକୃତ ୧୦ ପ୍ରତିଶତ କମ୍ ବିଲ୍ ପାଇବେ।
ଗ୍ରାହକମାନେ ଯଦି ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜର ଭାରି ବୈଦ୍ୟୁତିକ ଉପକରଣ (ଯଥା: ୱାଶିଂ ମେସିନ୍, ଏସି କିମ୍ବା ପାଣି ମୋଟର) ଚଲାନ୍ତି, ତେବେ ସେମାନେ ଅପେକ୍ଷାକୃତ ୧୦ ପ୍ରତିଶତ କମ୍ ବିଲ୍ ପାଇବେ।୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବ ନାହିଁ। ବିଦ୍ୟୁତ ଶୁଳ୍କ(ଟାରିଫ)କୁ ଅପରିବର୍ତ୍ତିତ ରଖିଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)। ୨୦୨୨-୨୩ ମସିହାରୁ କ୍ରମାଗତ ପଂଚମ ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇନାହିଁ। ଏହାସହିତ ୨୦୨୪-୨୫ ବର୍ଷରେ ଘରୋଇ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଶୁଳ୍କରେ ୟୁନିଟ୍ ପିଛା ୧୦ ପଇସା ହ୍ରାସ ପାଇଥିଲା। ଯାହା ଏବେବି ବଜାୟ ରହିଛି ବୋଲି ଓଇଆରସି ସୂଚନା ଦେଇଛନ୍ତି।। ବିଦ୍ୟୁତ ଉତ୍ପାଦନକାରୀ ଓଏଚପିସି ଓ ଓପିଜିସିରୁ ମିଳୁଥିବା ବିଦ୍ୟୁତ ଶସ୍ତା ହୋଇଥିବାରୁ ଏବଂ ପରିବହନ ଶୁଳ୍କ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ ହ୍ରାସ ପାଇଥିବାରୁ ଗ୍ରାହକଙ୍କ ପାଇଁ ଏହା ଆଶ୍ୱସ୍ତିକର ହୋଇଛି। ତେବେ ପ୍ରଥମଥର ପାଇଁ ‘ଟାଇମ୍ ଅଫ ଡେ’ ଏବଂ ପିକଆୱାର ଶୁଳ୍କର ପ୍ରାବଧାନ ହୋଇଛି। ଯାହାକି ସନ୍ଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଶୁଳ୍କ ତୁଳନାରେ ଅଧିକ ୧୦ ପ୍ରତିଶତ ବିଲ୍ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଓଇଆରସି(Oerc)ଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିବା ନେଇ ଘୋଷଣା କରାଯିବା ସହ କେତେକ ନୂଆ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି।
ଗ୍ରାହକ ଫେରିପାଇବେ ସିକ୍ୟୁରିଟି ଅର୍ଥ
ଯେଉଁ ଗ୍ରାହକମାନଙ୍କର ବିଦ୍ୟୁତ ସଂଯୋଗ ସ୍ଥାୟୀ ଭାବେ କଟିଯାଇଛି ସେମାନେ ନିଜର ପୁରୁଣା ସିକ୍ୟୁରିଟି ଡିପୋଜିଟ୍ ଟଙ୍କା ଫେରସ୍ତ ପାଇବା ନିମନ୍ତେ ‘ ୱାନଟାଇମ୍ କ୍ଲେମ୍ ସ୍କିମ୍’ ସୁବିଧା ନେଇପାରିବେ। ସେହିପରି ଡିସକମଗୁଡ଼ିକ ହାରୁଥିବା ଆଇନଗତ ମାମଲାଗୁଡ଼ିକର ଖର୍ଚ୍ଚ ଏଣିକି ଗ୍ରାହକମାନଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ। ରାଜ୍ୟର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ୮୦ ପ୍ରତିଶତରୁ ଅଧିକ ଲୋଡ୍ ଫ୍ୟାକ୍ଟରରେ ଚାଲୁଥିବା ବୃହତ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ରିହାତି ପରିମାଣକୁ ୨୦ରୁ ୩୦ ପଇସାକୁ ବୃଦ୍ଧି କରାଯାଇଛି। ମେଗା ଲିଫ୍ଟ ଜଳସେଚନ ପଏଂଟ ପାଇଁ ମଧ୍ୟ ଦିନବେଳା ୟୁନିଟ ପିଛା ୨ଟଙ୍କା ଓ ଅନ୍ୟ ସମୟରେ ୧ଟଙ୍କାର ରିହାତି ଘୋଷଣା ହୋଇଛି।
ଅନଲାଇନ୍ ବିଲ୍ ପୈଠ ପାଇଁ ମିଳିବ ୪ ପ୍ରତିଶତ ରିହାତି
ଘରୋଇ ବିଦ୍ୟୁତ ଉପଭୋକ୍ତାମାନେ ନିଜର ସମ୍ପୂର୍ଣ୍ଣ ବିଲ୍ ରାଶିକୁ ଧାର୍ଯ୍ୟ ସମୟ ପୂର୍ବରୁ ଅନଲାଇନ୍ ବା ଡିଜିଟାଲ ମାଧ୍ୟମରେ ପୈଠ କଲେ ସେମାନଙ୍କୁ ପୂର୍ବଭଳି ମୋଟ୍ ବିଲ୍ ଉପରେ ଅତିରିକ୍ତ ୪ପ୍ରତିଶତ ରିହାତି ମିଳିବ। ସମସ୍ତ ପ୍ରି-ପେଡ୍ ଗ୍ରାହକଙ୍କ ପାଇଁ ମଧ୍ୟ ରିଚାର୍ଜ ରାଶି ଉପରେ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହା ବ୍ୟତୀତ ଯେଉଁ ଉପଭୋକ୍ତାମାନେ କାଗଜ ବିଲ୍ ପରିବର୍ତ୍ତେର୍ ଇ-ବିଲ୍ ଗ୍ରହଣ କରିବେ, ସେମାନଙ୍କୁ ପ୍ରତି ବିଲ୍ ପାଇଁ ୧୦ ଟଙ୍କାର ସିଧାସଳଖ ଛାଡ଼ ମିଳିବ। ରେଳବାଇ ଟ୍ରାକ୍ସନ ବର୍ଗର ଗ୍ରାହକଙ୍କ ପାଇଁ ମଧ୍ୟ ୟୁନିଟ୍ ପିଛା ୨୫ ପଇସାର ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି।





